ଭୂମିକା


ଶାନ୍ତି ମଣିଷ ଜୀବନର ଚ଼ରମ ଲକ୍ଷ୍ୟ । ଏହା ପ୍ରତ୍ୟେକ ବ୍ୟକ୍ତି, ସମାଜ, ଧର୍ମ ତଥାସଂପ୍ରଦାୟର ଲୋକେ ଅଳ୍ପ ବହୁତ ଜାଣନ୍ତି । ଶାନ୍ତି ପାଇବାପାଇଁ ଯଦିଓ ଆମ୍ଭେମାନେ ପ୍ରାୟ ଜଡ଼ବିଜ୍ଞାନ, ଧର୍ମ ପୁସ୍ତକ ତଥା ଶାସ୍ତ୍ରମାନଙ୍କ ଉପରେ ନିର୍ଭର କରୁ, ତଥାପି ବିଭିନ୍ନ ଯୁଗରେ ମହାପୁରୁଷମାନେ ଜନ୍ମ ନେଇ ସେମାନଙ୍କର ମହାନ୍ | ବାକ୍ୟ, ବାଣୀ ଓ ଉପଦେଶ ଦ୍ୱାରା ଆମ୍ଭମାନଙ୍କୁ ଶାନ୍ତି ପାଇବାର ଉପାୟ ଦର୍ଶାଇ ଥାଆନ୍ତି । ପାରିପାର୍ଶ୍ୱିକ ଅବସ୍ଥା ଭିତରେ ଯେପରି ମଣିଷ ସୁଖ ଓ ଶାନ୍ତିରେ ଜୀବନ ଯାପନ କରିପାରିବ ଓ ମୁକ୍ତି ଲାଭ କରିପାରିବ, ସେହି ଅନୁଯାୟୀ ସେମାନେ ଉପଦେଶ ଦିଅନ୍ତି ଏବଂ ବାଣୀ ମାଧ୍ୟମରେ ନିଜର ଭାବଧାରାକୁ ପ୍ରକାଶ କରିଥାନ୍ତି ।

ମଣିଷ ମଧ୍ୟରେ ଅସୀମ ଶକ୍ତିର ଭଣ୍ଡାର ରହିଛି । ବିଭି୍ନ କାରଣରୁ ଏହି ଶକ୍ତି ସୁପ୍ତ ଅବସ୍ଥାରେ ରହିଥିବାରୁ, ଏହାକୁ ଜାଗ୍ରତ କରିବା ସକାଶେ ପରମାତ୍ମା କେତେବେଳେ ଅବତାର ଭାବରେ, କେତେବେଳେ ମୁନିରୁଷୀ ଭାବରେ, କେତେବେଳେ ମହାପୁରୁଷ ଭାବରେ ତ କେତେବେଳେ ସଦ୍‍ଗରୁ ଭାବରେ ପ୍ରତି ଯୁଗରେ ଆବିର୍ଭୁତ ହୁଅନ୍ତି । ସେମାନଙ୍କ ଭାବଧାରାରେ ଆଧାରିତ ବାଣୀମାନଙ୍କ ପ୍ରେରଣାରେ ଜୀବ ନିଜର ସୁପ୍ତ ଶକ୍ତିକୁ ଜାଗ୍ରତ କରିଥାଏ । ତାହାର ଫଳ ସ୍ୱରୂପ ଜୀବର ଜ୍ଞାନ, କର୍ମ ଓ ଭାବରେ ଉନ୍ନତି ଘଟେ । ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କରି ଦିବ୍ୟଦର୍ଶନ ଜ୍ଞାନ, କର୍ମ ଓ ଭକ୍ତିର ସମନ୍ୱିତ ଭାବବାଣୀକୁ ଆଧାର କରି ନିଜକୁ ପ୍ରକାଶ କରୁଛି ।

ମୂଳତଃ ପ୍ପଦିବ୍ୟଦର୍ଶଡ୍ଗ ଜ୍ଞାନକୁ ପରମ ଧ୍ୟେୟ ହିସାବରେ ଗ୍ରହଣ କରେ । ଦିବ୍ୟଦର୍ଶନର ଭାବଧାରା ଉପରେ ଆଧାରିତ କେତେକ ବାଣୀ ଏଠାରେ ପ୍ରକାଶ କରାଯାଉଛି । ଏହି ବାଣୀ ସଦ୍‍ଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁଙ୍କ ମୁଖରୁ ବିଭି୍ନ ମଧୁର ମୁହୂର୍ତ୍ତରେ ଅବାରିତ ଭାବରେ ଝରି ପଡ଼ିଛି । ସେଗୁଡ଼ିକ ଦିବ୍ୟଦର୍ଶର ଭାବ ସଦ ବୋଲି ସେ ଉଦାର ଚ଼ିତ୍ତରେ କହିଥା'ନ୍ତି । ଏଥିରେ ଜଗତର କଲ୍ୟାଣ ନିହିତ ଥିବାରୁ ଏଗୁଡ଼ିକୁ ସଂଗ୍ରହ କରି ପ୍ରକାଶ କରାଗଲା ।

"ଗୁରର୍ବ୍ରହ୍ମା ଗୁରୁବିଷ୍ଣୁ ଗୁରୁର୍ଦେବୋ ମହେଶ୍ୱରଃ, ଗୁରୁସାକ୍ଷାତ୍‍ ପରମ୍‍ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।" ଶିଷ୍ୟ/ଶିଷ୍ୟା ନିଜର ପରମ ଆରାଧ୍ୟ ଗୁରୁଦେବଙ୍କର ଆରାଧନା, ଯେ କୌଣସି କାର୍ଯ୍ୟକରିବା ପୂର୍ବରୁ ଏହିପରି ଭାବରେ କରିଥାନ୍ତି । ବ୍ରହ୍ମା, ଯାହାଙ୍କର କି ସୃଜନ କ୍ଷମତା ଅର୍ଥାତ୍‍ ସୃଷ୍ଟି କରିବାର କ୍ଷମତା ଅଛି-ସେ ଗୁରୁ ଅଟନ୍ତି । ବିଷ୍ଣୁ, ଯେ ପାଳନ କରିବାର କ୍ଷମତା ରଖନ୍ତି-ସେ ଗୁରୁ ଅଟନ୍ତି । ମହେଶ୍ୱର, ମହାଦେବ ଯେ କି ସଂହାର କରିବାକୁ କ୍ଷମ ସେ ଗୁରୁ ଅଟନ୍ତି । ଏ ସଙ୍ଗେ ଯେଉଁ ଗୁରୁଦେବ ସୃଜନ, ପାଳନ ଏବଂ ସଂହାର କରିବା କ୍ଷମତା ରଖନ୍ତି ସେହି ଶ୍ରୀଗୁରୁଙ୍କୁ ଆମ୍ଭେ ନମସ୍କାର କରୁଅଛୁ । କାରଣ ସେ ସାକ୍ଷାତରେ ପରଂବ୍ରହ୍ମ ଅଟନ୍ତି ।




ଅମୃତବିନ୍ଦୁ


୧- ଅଜ୍ଞାନତା ହିଁ ଦୁଃଖର କାରଣ ।

୨- ତୁମେ ଦୁଃଖ ଚ଼ାହୁଁ ନାହଁ । ତୁମ ଅଜ୍ଞାନତା ହିଁ ତୁମକୁ ଦୁଃଖ ଦେଉଛି । ତୁମେ ପ୍ରକୃତରେ ଦିବ୍ୟ । ସୁତରାଂ ଦିବ୍ୟଜ୍ଞାନର ପୋଷଣ କର, ଦିବ୍ୟ କାମନା କର ଏବଂ ଦିବ୍ୟ ଭାବନା ରଖ, ତେବେଯାଇ ତୁମେ ଦିବ୍ୟାନନ୍ଦ ଅନୁଭବ କରିପାରିବ ।

୩- ଅଜ୍ଞାନରୁ ପାପ ଜନ୍ମେ । ପାପରୁ ଦୁଃଖ ଜାତ ହୁଏ । ସୁତରାଂ ଜ୍ଞାନକୁ ସ୍ୱାଗତ କରି ଦୁଃଖରୁ ମୁକ୍ତ ହୁଅ ।

୪- ଜଡ଼କୁ ଯେପରି ଜ୍ଞାନ ଦ୍ୱାରା ବୁଝିହୁଏ, ସେହିଭଳି ଜ୍ଞାନ ଦ୍ୱାରା ଭଗବାନଙ୍କ ମହାନତାକୁ ବୁଝିହୁଏ ।

୫- ଜ୍ଞାନରୁ ଧର୍ମ, ଧର୍ମରୁ ମୋକ୍ଷ ।

୬- ଅଜ୍ଞାନ ଦ୍ୱାରା ଅହଂଭାବକୁ ପୋଷଣ କରି ଜୀବ ନିଜକୁ ସର୍ବେସର୍ବା ମନେକରେ କିନ୍ତୁ ଯେତେବେଳେ ସେ ଈଶ୍ୱରଙ୍କ ମହାନତାକୁ ଅନୁଭବ କରେ ସେତେବଳେ ନିଜର ଅକ୍ଷମତା ଉପରେ ତାର କ୍ରମେ କ୍ରମେ ସେତିକି ବିଶ୍ୱାସ ଦୃଢ଼ ହୁଏ ଏବଂ ସେ ନିଜକୁ କ୍ଷୁଦ୍ରରୁ କ୍ଷୁଦ୍ରତର ମନେକରେ ।ସୁତରାଂ ନିଜକୁ ଯେତେ ସାମାନ୍ୟ ମନେ କରିବ ତୁମେ ସେତେ ବଡ଼ ବୋଲି ବିବେଚ଼ିତ ହେବ । କାରଣ ଏହା ଦ୍ୱାରା ତୁମେ ମହତ୍‍ ଶକ୍ତିର ଆଶୀର୍ବାଦ ପାଇବାକୁ ଯୋଗ୍ୟ ହେଉଛ ।

୭ - ଯିଏ ଯେତେ ଅଜ୍ଞାନ ସିଏ ସେତେ ସନ୍ଦେହ, ଭୟ ଓ ଦୁଃଖ ଭୋଗ କରିଥାଏ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଅନ୍ୟର ଆଶ୍ରୟ ନେଇଥାଏ । ଅତଏବ ସମସ୍ତେ ଜ୍ଞାନବାନ ହୋଇ ଏଇ ସବୁଥିରୁ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ଜ୍ଞାନଶକ୍ତିର ମହାନତାକୁ ସନ୍ଦର୍ଶ କରି ଧନ୍ୟ ହୁଅନ୍ତୁ ।

୮- ଅଜ୍ଞାନ ଦ୍ୱାରା ହିଁ ଜୀବ ଭୟ କରେ । ଅଜ୍ଞାନ ଦ୍ୱାରା ହିଁ ବିପରୀତ କର୍ମ କରି ଦୁଃଖ ପାଏ । ଅଜ୍ଞାନ ଦ୍ୱାରା ହିଁ ନିଜ ସ୍ୱରୂପକୁ ନ ଜାଣି ପୁର୍ଜ୍ମ ପାଏ । ସୁତରାଂ ହେ ଭାଇ ସାଧୁ! ଜ୍ଞାନ ଆହରଣ କରି ସମସ୍ତ ଭୟ ଓ ଦୁଃଖରୁ ମୁକ୍ତ ହେବା ସଙ୍ଗେ ସଙ୍ଗେ ନିଜ ସ୍ୱରୂପକୁ ଜାଣି ଅମରତ୍ୱ ଅର୍ଥାତ୍‍ ଅମୃତତ୍ୱ ଲାଭକର ।

୯ - ସମସ୍ତ ଭୟ ଓ ଦୁଃଖରୁ ମୁକ୍ତ କିଏ ? ଯିଏ ପରମାମାúଙ୍କ ନିକଟରେ ନିଜକୁ ସମର୍ପଣ କରି ଆଶୀର୍ବାଦ ଲାଭ କରିପାରିଛି ।

୧୦ - ନିରସ ଶୁଷ୍କ ଜୀବନ ଯାପନ କରାହିଁ । ତୁମେ ସେହି ପ୍ରେମାମୃତର ଦିବ୍ୟସିନ୍ଧୁକୁ ଅନ୍ତରରେ ଧାରଣ କରି ପ୍ରେମାମୃତର ଅଜସ୍ରଧାରାରେ ସୃଷ୍ଟିକୁ ପ୍ଲାବିତ କର । ଦେଖିବ, ସମଗ୍ର ସୃଷ୍ଟି ଅମୃତମୟ ହୋଇଯିବ ଏବଂ ସେହି ଅମୃତମୟ ପ୍ରେମବାରିକୁ ଆସ୍ୱାଦନ କରି ତୁମେ ଦିନେ ପରମାନନ୍ଦରେ ଲୀନ ହୋଇଯିବ । ଏଇତ, ଜୀବନର ବାସ୍ତବ ଲକ୍ଷ୍ୟ ।